Unknown

 

 

 

 

 

 

 

 

 

 

 

ଆଖଡ଼ା ଦଳ

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଏକ ଚଷାର ଗୋଟିଏ ଗଧ ଥିଲା । ଗଧୁଟିକି ସେ ଦଶ କି ପନ୍ଦର ବର୍ଷ ବୁହାଇଲା । ଶେଷକୁ ଯେତେବେଳେ ଗଧୁଟି ବୁଢ଼ା ହେଇଗଲା, ଦିହରୁ ବଳ ଖସି ଆସିଲା, ଆଉ କିଛି ପାଇଟିପତ୍ରକୁ ପାରିଲା ନାଇଁ, ତହୁଁ ଦିନେ ତା’ର ସାଉ ବିଚାରିଲା, ‘‘ୟାକୁ ରଖି କରି ଆଉ କିଛି ଲାଭ ନାଇଁ । ଖାଲି ପୋଷିବା ମାତ୍ର ସାର ହେଉଚି । ଯାଉଚି ୟାକୁ କଂସେଇକି ବିକି ଦେବି ।’’ ସାଉର ଏ ବିଚାର ଗଧ କିମିତି ଶୁଣିପାରି ଦିନେ ଭାରି ତାକ ତରକରେ ଲୁଚିକରି ଘରୁ ବାହାରି ଗଲା । ଭାବିଲା, ‘‘ଯାଉଚି ସେଇ ରାଜଧାନୀକି ଯିବି ଯେ, ସେଠି ହେଲେ ଲୋକଙ୍କ ଆଗରେ ଗୀତ ବୋଲି ମୋ ପେଟ ମୁଁ ପୋଷି ପାରିବି ।’’

 

ଇମିତି ବିଚାରି ସେ ଘରୁ ଖଣ୍ଡେଦୂର ଯାଇଚି, ଦେଖିଲା ବାଟ ତଡ଼ରେ ଗୋଟିଏ କୁକୁର ଭାରି ହାଲିଆ ହେଲାପରି ପଡ଼ି ଖାଲି ଧକାଉଚି । ଗଧ ପଚାରିଲା, ‘‘ଭାଇ କ’ଣ ହେଲା କି ? ଇମିତି ଧକାଉଚ କିଆଁ ?’’ କୁକୁର କହିଲା, ‘‘ଆହା, କ’ଣ କରିବି ଭାଇ, ମୋ କପାଳ ଇଏ । ଏତେଦିନ ସାଉର ସେବା କରି କରି ଆସିଲି, ହେଲେ ଶେଷକୁ ବୁଢ଼ା ହେଇ ଦୁର୍ବଳ ହେଇଗଲି, ସାଉ ପଛେ ପଛେ ଧାଇଁ ଆଉ ପାରିଧି କରିପାରିଲି ନାଇଁ ବୋଲି ସାଉ ମୋ ମୁଣ୍ଡକୁ ଠେଙ୍ଗେଇ ଦବ ବୋଲି ବସିଲା । ଆଉ କିଛି ଉପାୟ ନ ଦେଖି ଘରୁ ଧାଇଁ ଭାରି ଆସିଲି । ଆସିଲି ସିନା, କ’ଣ କରି କିମିତି ପେଟ ପୋଷିବି, କିଛି ବୁଦ୍ଧି ଦିଶୁନି !’’ ଗଧ କହିଲା, ‘‘ଶୁଣ ଭାଇ, ମୁଁ ଗୋଟେ କଥା ବତଉଚି । ମୁଁ ଏବେ ରାଜଧାନୀକି ଯାଉଚି–ଗାଆକ ହେବି ବୋଲି । ତମେ ଯଦି ପାର ମୋ ସାଙ୍ଗେ ଆସ । ଦେଖିବ, ଏ ଉପାୟରେ ଯଦି କିଛି ଅର୍ଜିପାରିବ ।’’ ଗଧ କଥାରେ କୁକୁର ହଁ କଲାରୁ ଦିହେଁ ସାଙ୍ଗ ହେଇ ଗୋଟିଏ ଗୋଟିଏ ଗଲେ ।

 

ଅଳ୍ପ ବାଟ ଯାଇଚନ୍ତି, ଦେଖିଲେ ବାଟ ମଝିରେ ଗୋଟିଏ ବିରାଡ଼ି ମୁହଁକୁ ଶୁଖେଇ ଭାରି ଦୁଃଖରେ ବସିଲା ପରି ବସିଚି । ଗଧ ପଚାରିଲା, ‘‘କି ଲୋ ମାଉସୀ, କଥା କ’ଣ ? ଇମିତି ମନ ମାରି ଦେଇ କିଆଁ ବସିଚୁ ?’’ ବିରାଡ଼ି ଗୋଟେ ନିଶ୍ୱାସ ପକେଇ କହିଲା, ‘‘ହଁ, ମୋ କପାଳେ ୟା ଲେଖା ଥିଲା । ଜୀବନ ଉପରେ ବିପତ୍ତି ପଡ଼ିଲେ କା ମନରେ ସୁଖ ଥାଏ ? ମୂଷା ମାରି ମାରି ବୁଢ଼ୀ ହେଲି, ଦିହରୁ ରୁମ ଝଡ଼ିଲା, ଆଉ ଧାଇଁ ଧପଡ଼ି ପାରିଲି ନାଇଁ, ସବୁବେଳେ ଉଷୁମ ଦେଖି ଚୁଲି ମୁଣ୍ଡରେ ଶୋଇଲି, ଏଇ ତ ମୋର ଦୋଷ । ଏଥିକି ମୋର ସାଆନ୍ତାଣୀ ମତେ ଧରି ପାଣିରେ ବୁଡ଼େଇ ମାରି ଦେବେ ବୋଲି ବସିଥିଲେ । ମୋ କପାଳ ସଳଖ ଥିଲା ବୋଲି ସେଠୁ ଖସି ଆସିଲି-। ଏବେ କିମିତି ଜୀଇବି କିଛି ଉପାୟ ଦିଶୁନି ।’’ ଗଧ ସବୁ ଶୁଣି କହିଲା, ‘‘ଆହା, ତେବେ ଆମ ସାଙ୍ଗରେ, ଆସ, ମାଉସୀ ! ତମେ ତ ରାତିରେ ଭଲ ଗାଇପାର; ଆମେ ଦିହେଁ ଗୀତ ଗାଇବାକୁ ଯାଉଚୁ । ଦେଖ ଭଲା, ଏ ଉପାୟ କଲେ ତମ କପାଳ ଫିଟିବ ପରା ।’’ ଏ କଥା ଶୁଣି ବିରାଡ଼ିର ମନ ଭଲ ମାନିଲା । ତହୁଁ ସିଏ ସେମାନଙ୍କ ସାଙ୍ଗରେ ମିଶିଗଲା । ଏ ତିନିହେଁ ସାଙ୍ଗ ହେଇ ଯାଉ ଯାଉ ବାଟରେ ଜଣେ ଲୋକର ଖଳା ପଡ଼ିଲା । ସେ ଖଳା ଦୁଆରେ କ’ଣ ହେଇଚି ନା, ଏକ କୁକୁଡ଼ା ବସି ତା’ ବଳେ ବଳେ ପାଟି କରି ବୋବାଉଚି । ଗଧ ତାକୁ ଦେଖି କହିଲା, ‘‘ବାହା ବାଃ, କେଡ଼େ ସୁନ୍ଦର ପାଟି କରି ଗାଇ ପାରୁଚ ! କଥାଟା କ’ଣ ?’’ କୁକୁଡ଼ା କହିଲା, ‘‘କ’ଣ କି, ଆଜି କାଲି ଭିତରେ ଭଲ ପାଗ ହବ ବୋଲି ମୁଁ ଜାଣିପାରି ଆନନ୍ଦରେ ଗୀତ ଗାଉଚି । ଲୋକଙ୍କର ମୁଁ ଏତେ ଉପକାର କରୁଚି, ଏତେ କଷ୍ଟରେ ଡାକି କହୁଚି, ହେଲେ, ମୋ ସାଆନ୍ତାଣୀ, ଆଉ ସେ ପୂଜାରି ଟୋକା ମୋର ଉପକାର ନ ବୁଝି ମତେ ଆଉରି ଡରଉଚନ୍ତି ଯେ, କାଲି ମୋ ମୁଣ୍ଡ କାଟି କୁଣିଆ ଆସିଲେ ଖାଇବାକୁ ଦେବେ ।’’ ଗଧ ତା’ ଶୁଣି ଜିଭ କାମୁଡ଼ି ଦେଇ କହିଲା, ‘‘ଭଗବାନ ତା’ ନ କରନ୍ତୁ, ତା’ ନ କରନ୍ତୁ । ଭାଇ, ଆମ ସାଙ୍ଗରେ ଚାଲି ଆସ । ଏଠି ରହି ମୁଣ୍ଡ କାଟ ହେବା ଅପେକ୍ଷା ଏ ଭଲ ହେବ-। କିଏ ଜାଣେ କପାଳରେ କ’ଣ ଅଛି ? ଆମେ ଚାରିହେଁ ଯେବେ ଏକାଠି ମିଳି, ଏକା ସ୍ୱର ଲୟ ରଖି ଗୀତ ଗାଇ ପାରିବା, ତେବେ ଆମର ଅସଲ ଆଖଡ଼ା ଦଳୁଟିଏ ହବ । କଥା ମାନି ଆମ ସାଙ୍ଗରେ ଆସ ଭାରି ।’’ କୁକୁଡ଼ା କହିଲା, ‘‘କିଛି ପରୁଆ ନାଇଁ । ମୋର ଯିବାକୁ ଭାରି ମନ, ଚାଲ-।’’ ତହୁଁ ଗଧ, କୁକୁର, ବିରାଡ଼ି ଓ କୁକୁଡ଼ା ଏ ଚାରିହେଁ ମହାମଉଜରେ ହସି ଖେଳି ଚାଲିଲେ ।

 

ସେ ଦିନ ସେ ସମସ୍ତେ ରାଜଧାନୀକି ଯିବେ ବୋଲି କଥା କରିଥିଲେ; ମାତ୍ର ବାଟରେ ରାତି ହେଇ ଯିବାରୁ ଆଉ ଯାଇ ପାରିଲେ ନାଇଁ । ପାଖରେ ଗୋଟିଏ ବଣକୁ ଯାଇ ରାତିକ ସେଠି ପୁହାଇବେ ବୋଲି ବିଚାରିଲେ । ସେ ବଣରେ ଗୋଟେ ବଡ଼ ବରଗଛ ଥିଲା । କୁକୁର ଆଉ ଗଧ ଗଛମୂଳେ ରହିଲେ, ବିରାଡ଼ି ରାମ୍ପୁଡ଼ି କାମ୍ପୁଡ଼ି ହେଇ ଚଢ଼ି ଯାଇ ଗୋଟେ ଡାଳରେ ବସିଲା । କୁକୁଡ଼ା ତ ଟିକିଏ ଉଡ଼ି ଜାଣେ, ସିଏ ସେଠୁ ଏ ସମସ୍ତଙ୍କ ଠାରୁ ସୁଖରେ ଆଉ ନିଶ୍ଚିନ୍ତରେ ରହିବ ବୋଲି ଉଡ଼ି ଉଡ଼ି ଯାଇ ଗଛର ସଭା ଉପର ଶିଖରେ ବସିଲା । କୁକୁଡ଼ାଙ୍କର ଗୋଟେ ଧୋରଣୀ ଅଛି ଯେ, ସେମାନେ ଶୋଇାବକୁ ଯିବା ଆଗରୁ ଆଗ ଚାରିଆଡ଼କୁ ଚାହିଁ ଦେଖିବେ କୁ’ଠି କଅଣ ଆପଦ ବିପଦ ଅଛି କି ନାଇଁ । ଏ ସିମିତି ଗଛ ଉପରେ ବସି ଚାରିଆଡ଼କୁ ଚାହିଁଲା ଦେଖିଲା, ଅଳ୍ପଦୂରରେ ଠାଏ କ’ଣ ଖାଲି ଜକ ଜକ ଉଜଳ ଦିଶୁଚି ! ସେଠୁ ସେ ସାଥିବାଲାଙ୍କୁ ଡାକି କହିଲା, ‘‘ହେ ଭାଇ, ଖଣ୍ଡ ଦୂରରେ ମୁଁ ଗୋଟେ ଆଲୁଅ ଦେଖି ପାରୁଚି, ନିଶ୍ଚେ ସେଠି ଗୋଟେ କଣ ଘର ଥିବ ।’’

 

ଗଧ ସେଠୁ କହିଲା, ‘‘ତା ଯଦି ହେଇଥିବ, ଚାଲ ଆମେ ଆମର ଏ ବସା ବଦଳେଇବା-। ଆମର ବସାଟା କିଛି ଭଲ ହେଲା ନାଇଁ । ସିଠୁକୁ ଗଲେ ଭଲରେ ରହନ୍ତେଇଁ ।’’

 

ୟା ଶୁଣି କୁକୁର କହିଲା, ‘‘ଭଲ କଥା, ଆଉରି ମଧ୍ୟ ସିଠାକୁ ଗଲେ ମତେ ହାଡ଼ ଖଣ୍ଡେ କି ମାଉଁସ ବକଟେ ହେଲେ ମିଳି ପାରିବ ।’’

 

ଇମିତି ବିଚରା ବିଚିରି ହେଇ ସଭିଏଁ ତହୁଁ କୁକୁଡ଼ା ଯୋ’ଠି ଆଲୁଅ ଦେଖିଥିଲା, ସେଇ ଆଡ଼କୁ ଗଲେ । ଯେତିକି ଏମାନେ ସେ ଥାନ ପାଖକୁ ପାଖକୁ ଲାଗିଲେ, ଆଲୁଅଟା ସେତିକି ଆଉରି ଜକ ଜକ, ଆଉରି ବଡ଼ ଦିଶିଲା । ଶେଷକୁ ଯାଇ ସେ ଘର ପାଖେ ପହଞ୍ଚିଲେ । ବଣମଝିରେ ସେ ଘରଟା ହେଉଚି ପଞ୍ଝେ ଚୋରଙ୍କର ବସା ଘର । ଚୋରମାନେ ଗାଁ ଗଣ୍ଡାରୁ ଚୋରେଇ ଆଣି ସେ ଘରେ ରହନ୍ତି, ଖିଆ ପିଆ କରି ମହାସୁଖରେ ଥାନ୍ତି ।

 

ଏ ପଞ୍ଝାଙ୍କ ଭିତରେ ଗଧ ତ ସବୁଠୁ ଡେଙ୍ଗା, ଘର ଭିତରେ କ’ଣ ହେଉଚି, କିଏ ଅଛି ବୋଲି ସିଏ ଆଗ ପଞ୍ଜରଠାକୁ ଗଲା, ଯାଇ ଉହୁଙ୍କି କରି ଭିତରକୁ ଚାହିଁଲା । କୁକୁଡ଼ା ପଚାରିଲା, ‘‘ଗଧଭାଇ ! ଭିତରେ ତମେ କ’ଣ ଦେଖୁଚ ?’’ ଗଧ କହିଲା, ‘‘କ’ଣ ଦେଖୁଚି ? ଦେଖୁଚି ତଳେ ଠା ହେଇଚି; ଖିରି, ଖେଚଡ଼ି, ମାଛ, ମହୁର, ପିଠାପଣା ସବୁ ଧାଡ଼ିକି ଧାଡ଼ି ହେଇ ବଢ଼ା ହେଇଚି, ଆଉ, ଚୋରମାନେ ମହାମଉଜରେ ତାକୁ ସବୁ ଖାଇବାକୁ ବସିଚନ୍ତି ।’’

 

କୁକୁଡ଼ା କହିଲା ‘‘ବାଃ, ଏ ଘରଟା ଏକା ଆମ ପାଇଁ ଅସଲ ଘର ।’’ ଗଧ ତା’ କଥା ଶୁଣି କହିଲା, ‘‘ହଁ, ଆମେ କିମିତି ଯେବେ ଏ ଭିତରେ ପଶି ରହିପାରନ୍ତେ. ତେବେ ଭଲ ହୁଅନ୍ତା ।’’

 

ତହୁଁ ଚାରି ସାଙ୍ଗଯାକ ଏକାଠି ବିଚାର କରି ବସିଲେ, କି ଉପାୟ କଲେ ଚୋରଙ୍କୁ ସେ ଭିତରୁ ତଡ଼ି ଦେଇ ହେବ । ବସି ବସି ଶେଷକୁ ଗୋଟେ ଉପାୟ ବାହାର କଲେ । ଗଧ କ’ଣ କଲା ନା, ତା’ର ପଛ ଗୋଡ଼ ଯୋଡ଼ାକରେ ତଳେ ଭାରା ଦେଇ ଆଗ ଗୋଡ଼ ଯୋଡ଼ାକୁ ଗୋଟେ ବଡ଼ ପଞ୍ଜର ଓପରକୁ ରଖି ଠିଆ ହେଲା । କୁକୁର ଉଠିଲା ଯେ, ଗଧର ପିଠି ଉପରେ ଠିଆ ହେଇ ରହିଲା । କୁକୁରର ଦି’କାନ୍ଧରେ ଦି’ଗୋଡ଼, ଆଉ ଅଣ୍ଟାରେ ଦି’ଗୋଡ଼ ଦେଇ ବିରାଡ଼ି ଠିଆ ହେଲା । ଏ ସମସ୍ତଙ୍କ ଉପରେ, କୁକୁଡ଼ା ଉଡ଼ି ଉଡ଼ି ଯାଇ ବିରାଡ଼ି ଓପରେ ବସିଲା । ଆଗରୁ କଥା ହେଇଥିଲା ଯେ, ଗୋଟେ କ’ଣ ଇସାରା ଦିଆ ହେଲେ ସମସ୍ତେ ଏକାବେଳକେ ଏକା ତାନ ଲୟ ରଖି ଗୀତ ବୋଲିବେ । ସମସ୍ତେ ଯେତେବେଳେ ସଜବାଜ ହୋଇ ଠିଆ ହେଲେ, ଗଧ ଇସାରା ଦେଲା । ତହୁଁ ସଭିଏଁ ଯେଝା ଗୀତ ଆରମ୍ଭ କଲେ । ଗଧ ‘ଗଁ’ ‘ଗଁ’ ହେଲା, କୁକୁର ‘ଭୋ’ ‘ଭୋ’ ଭୁକିଲା, ବିରାଡ଼ି ‘ମ୍ୟାଉଁ, ମ୍ୟାଉଁ’ ବୋବାଇଲା; ଆଉ କୁକୁଡ଼ା ‘କକ୍‌ କକ୍‍’ ‘କକ୍‌ କକ୍‌’ ହେଇ କିର୍‌କିଛିଆ ରଡ଼ି ଛାଡ଼ିଲା-

 

ଖାଲି ଏତିକିରେ ଗୀତ ବୋଲା ସରିଲା ନାଇଁ । ଗୀତ ସାଙ୍ଗେ ସାଙ୍ଗେ ନାଟ ଆରମ୍ଭ ହେଲା । ସମସ୍ତେ ଏକାବେଳକେ ଇମିତି ଏକ ମହା ଭୟଙ୍କର ଗର୍ଜ୍ଜନ କରି ପଞ୍ଜର ଭିତରକୁ ଠେଲି ହୋଇ ପଶିଗଲେ ଯେ, ପଞ୍ଜରର କାଠି ଫାଠି ଭାଜି ଗୋଟାକ ଉପରେ ଗୋଟେ ଯାଇ ଘର ଭିତରେ ଦୁମ୍‌ଦାମ୍‌ ହୋଇ ପଡ଼ିଲେ । ଚୋରମାନେ କେତେ ଥର ଗୀତ ଶୁଣିଚନ୍ତି, ହେଲେ, ଇମିତି ଗୀତ କେଭେଁ ଶୁଣି ନ ଥିଲେ । ତାଙ୍କୁ ପ୍ରତେ ହେଲା, ସତେ ଯିମିତି କୁଆଡ଼ୁ ଏକ ଭୂତ ଆସି ଘର ଭିତରେ ହାବୁଡ଼ିଚି । ଭୟରେ ତାଙ୍କର କଲିଜା ପାଣି ହୋଇଗଲା । କିଏ କୁ’ବାଟେ ପଡ଼ି ଉଠି ପ୍ରାଣ ଭୟରେ ପଳେଇଲେ ଯେ, ଯିବା ବାଟରେ ଯିମିତି କି ଆଉ ଦୂବ କଅଁଳିବ ନାଇଁ ।

 

ଚୋରମାନେ ପଳେଇଲାରୁ ଏମାନେ ଗୋଟେ ମହାଘୋର ବିପତ୍ତିରୁ ରକ୍ଷା ପାଇଲେ । ଘରଟା ନିଛାଟିଆ ହୋଇଗଲା ! ତହୁଁ ଚୋରେ ଯାହା ଦରଖିଆ ହୋଇ ଅଇଁଠାରେ ଛାଡ଼ି ଯାଇଥିଲେ, ତାକୁ ଏମାନେ ଖାଇବାରେ ଲାଗିଲେ । କାଉଳି ବାଉଳି ହେଇ ମେଞ୍ଚା ମେଞ୍ଚା କରି, ହତା ହତା କରି, ବୁଙ୍ଗା ବୁଙ୍ଗା କରି ଯିଏ ଯେଡ଼େ ବେଗେ ପାରେ, ସେଡ଼େ ବେଗେ ଖାଲି ଗିଳି ଦେଇଗଲେ । କିଏ କାହାକୁ କହିବାକୁ କି ଚାହିଁବାକୁ ମୁହୂର୍ତ୍ତେ ତର ସହିଲା ନାଇଁ । ସତେ ଯିମିତି କି ଆଉ ମାସକ ଯାଏ ଖାଇବେ ବୋଲି ସିଏ ବିଚାରି ନଥିଲେ । ପେଟେ ପେଟେ ଖାଇସାରି ଫୁଁ ଫାଁ ହେଲେ, ତହୁଁ ଦୀପ ଲିଭେଇ ଥାନ ଖୋଜିଲେ, କିଏ କୁଠି ଶୋଇବ ବୋଲି । ଯାହାକୁ ଯୋଉ ଥାନ ପାଏ, ସିଏ ସେଇଠି ଶୋଇଲା । ଗଧ ଗଲା ଯେ, ଗୁହାଳରେ ପାଳ ଗୋଛା ଉପରେ ଶୋଇଲା । କୁକୁର ଇରୁଣ୍ଡି ମୁଣ୍ଡକୁ ପଟି ଖଣ୍ଡକରେ ଲମ୍ବ ହୋଇ ପଡ଼ିଗଲା । ବିରାଡ଼ି ଚୁଲି ମୁଣ୍ଡରେ ତତଲା ପାଉଁଶ ଉପରେ ଶୋଇ ଉଷୁମୁ ଟାଣିଲା । କୁକୁଡ଼ା ଉଡ଼ି ଯାଇ ଗୋଟେ ଦୁଲାରେ ବସି ଘୁମେଇଲା-

 

ସମସ୍ତେ ତ ସେ ଦିନକଯାକ ବାଟ ଚାଲି ଚାଲି ହାଲିଆ ହୋଇ ଯାଇଥିଲେ; ଯିମିତି ଆଖି ବୁଜିଲେ ସିମିତି ନିଘୋଡ଼ ନିଦ ଲାଗିଥିଲା ।

 

ଏଣେ ଚୋରମାନେ ତାଟକା ହେଇ ବଣ ଭିତରେ ଲୁଚିଥିଲେ । ଅଧରାତିକି, ଯେତବେଳେ ନିଶା ଗରଜିଲା, ସବୁଆଡ଼ୁ ସୋର ଶବଦ ଲୁଚିଗଲା, ଘର ଭିତରେ ଆଉ ଦୀପ ଆଲୁଅ ଦିଶିଲା ନାଇଁ, ପଦାକୁ ଆସି ବିଚାରିଲେ, ‘‘ଆମେ ମାହାଳିଆ ଏଡ଼େ ଅତରଛ ହେଇ ପଳେଇ ଅଇଲେ, କଥାଟା କିଛି ଜଣା ଗଲାନି ।’’ ତାଙ୍କ ଭିତରେ ଜଣେ ଭାରି ସାହସିଆ ଚୋର ଥିଲା । ସିଏ ସେଠୁ ଅଣ୍ଟା ଭିଡ଼ି ଉଠିଲା, ‘‘ଦେଖି, ଘର ଭିତରେ କ’ଣ ହୋଉଚି ଦେଖିବା ।’’ ୟା ବିଚାରି ଦୁଆରମୁହଁକୁ ଯାଇ ଚାହିଁଲା କିଛି ଦିଶୁ ନାଇଁ; ସବୁ ଘର ନିଛାଟିଆ ହୋଇ ପଡ଼ିଚି । ତହୁଁ ସିଏ ଥିର୍‍ ଥିର୍‍ ପାଦ ପକେଇ ରୋଷେଇ ଘରକୁ ଗଲା । ଯାଇ ଏ କ’ଣ ସେ କ’ଣ ଦରାଣ୍ଡୁ ଦରାଣ୍ଡୁ ଖଣ୍ଡେ ସୋଲ ହାତରେ ପଡ଼ିଲା । ଏ ଯିବାର ବିରାଡ଼ି ଉଠି ଜାଣିଲାଣି ବିରାଡ଼ି ଆଖି ତ ଅନ୍ଧାରରେ ଖାଲି ନିଆଁ ଜଳିଲା ପରି ଜକ୍‌ ଜକ୍‌ ଦିଶେ, ଏ ସୋଲ ଖଣ୍ଡ ଜାଳି ଦୀପ ଲଗେଇବ ବୋଲି ଚୁଲିରେ ନିଆଁ ଅଛି କି ନାଇଁ ଚାହୁଁ ଚାହୁଁ, ଚୁଲିମୁଣ୍ଡରେ ବିରାଡ଼ିର ଆଖି ଦି’ଟା ଜକଜକ ଦିଶିଲା । ଚୋରଟା ବିଚାରିଲା, ‘ହେଇ ଦି’ଖଣ୍ଡ ରଡ଼ନିଆଁ ପଡ଼ିଚି ।’ ତହୁଁ ସିଏ ଥିର୍‍କିନି ସୋଲ ଖଣ୍ଡକ ଧରି ସେଇ ନିଆଁରେ ଲଗେଇ ଦବ ବୋଇଲା ବେଳକୁ ବିରାଡ଼ି ତ ଏତେ କଥା ଜାଣେ ନାଇଁ, ମାଇଲା ଖେପାଏ ଯେ, ତା’ ମୁହଁରେ ଯାଇ ଚଢ଼ିଲା । ଚଢ଼ିଲା ଯିମିତି ନିଶ ଲାଙ୍ଗୁଡ଼ ଫୁଲେଇ ମୁହଁଟାଯାକୁ କାମୁଡ଼ି ବିଦାରି ପକେଇଲା । ରାମ୍ପୁଡ଼ା ଖାଇ ଚୋର ପ୍ରାଣ କାକୁତିରେ ଥରି ହରି ଧାଇଁ ପଳେଇଲାବେଳକୁ ମଝି ଘର ଦୁଆରମୁହଁରେ କୁକୁର ଶୋଇଚି । ସିଠି ଯିମିତି ୟା ପାଦ ପଡ଼ିଚି, କୁକୁର ଉଠି ଗୋଡ଼କୁ ନିବାଡ଼ ଚୋଟେ ଧଇଲା । ସେଇ ଅନ୍ଧାରରେ ଇଏ ଛୋଟେଇ ଛୋଟେଇ ଧାଇଁ ଧାଇଁ ଗୁହାଳ ବାଟେ ପଡ଼ି ଖସି ପଳେଇବ ବୋଲି ବସିଲା । ଗଧ ତ ପାଳ ଗୋଛାରେ ଆରାମରେ ଗଡ଼ୁଥିଲା ଉଠି ମାଇଲା ଲାତେ ଯେ ଚୋରଟା ତିନି ଗଡ଼ା ଦେଇ ଯାଇ ଦଶ ହାତ ଦୂରରେ ପଡ଼ିଲା । ଏ ସମୟରେ କୁକୁଡ଼ା ଓରା ଉପରେ ପଖି ଫଡ଼ ଫଡ଼ କରି ତା ବଳେ ବଳେ କିକିର୍ଚ୍ଛିଆ ପାଟିରେ ତାକୁ ଗୋଡ଼େଇଲା ।

 

ଚୋରକୁ ଆଉ ବାଟ ଘାଟ ଦିଶି ନାଇଁ । ସିଏ କିମିତି ପ୍ରାଣ ଘିନି ସେ ଘରୁ ଆସିବ ବୋଲି ଏକା ନିଶ୍ୱାସକେ ଧାଇଁଚି । ଆଉ ପଛକୁ ନ ଚାହିଁ, କେତେବେଳକୁ ରକତ ବଲବଲ ହେଇ ଯୋଉଠି ସାଥି ବାଲା ଥିଲେ, ସେଠି ଯାଇ ପହଞ୍ଚିଲା । ତା’ ପାଟିରୁ ସଳଖ ହେଇ କଥା ଭାରୁ ନ ଥିଲା । ସରଦାର ପଚାରିଲେ, ‘‘କିରେ, କ’ଣ ଦେଖିଲୁ ?’’ ଏ ଦଣ୍ଡକୁ ଦଣ୍ଡ ଥକା ମାରି ମାରି କହିଲା, ‘‘ଓହୋ, ପ୍ରାଣରେ ଆଉ ବର୍ତ୍ତି କରି ଆସିବି ବୋଲି ବିଚାରି ନ ଥିଲି–ଜୀଇଗଲି । ଇମିତି ଏକ ଡାହାଣୀ ଆସି ସେ ଘରେ ହାବୁଡ଼ିଚି, ତା’ର ସେ ଯୋଉ ଗୋଜିଆ ଗୋଜିଆ ଛୁରୀ ପରି ଦାଢ଼ୁଆ ଆଙ୍ଗୁଠିମାନ, ସିଥେରେ ମୋ ମୁହଁଟାଯାକୁ ପରା ରାମ୍ପୁଡ଼ି ବିଦାରି ପକେଇଲା, ନାକୁଟାକୁ କାମୁଡ଼ି ନେଇଗଲା ! ଆଉରି-ପୁଣି ଏକ ମଣିଷ ସେ ମଝି ଦୁଆରେ ଛୁରୀଟେ ଧରି ଲୁଚି କରି ବସିଥିଲା । ମୋ ଗୋଡ଼କୁ ଦେଖେଇ ଚୋଟେ ପକେଇଲା ଯେ, ହେଇଟି ରକତଧାର ଲାଗିଚି । ୟା ଉତ୍ତାରୁ ସେ ଗୁହାଳ ଆଡ଼କୁ ଗଲା ବେଳକୁ ସେଠି ଗୋଟେ ରାକ୍ଷସ ଶୋଇଚ । ସିଏ ତା’ ଠେଙ୍ଗାରେ ମତେ ନିର୍ଧୂମ ପାହାରେ ପକେଇଲା ଯେ, ତିନିଗଡ଼ା ଦେଇ ତଳେ ପଡ଼ିଲି । ସେଠୁ ଭାରି ଅଇଲାବେଳକୁ ଓରାରେ ଗୋଟେ ଭୂତ ବସିଥିଲା । ମତେ ଦେଖି ସିଏ ପାଟିକରି କହିଲା, ‘ମାର ୟାକୁ ମାର, ଏ ଚୋରକୁ ମାର ମାର’ ।’’ ୟାକହି ଚୋରଟା ଅଚେତ ହୋଇ ପଡ଼ିଗଲା ।

 

ସେହିଦିନୁ ଚୋରେ ସେ ଘରର ସୀମା ପର୍ଯ୍ୟନ୍ତ ମାଡ଼ିବାକୁ ସାହସ କଲେ ନାଇଁ । ଏ ଚାରିଜଣ ଆଖଡ଼ାବାଲା ସେଠି ମହାସୁଖରେ ଖାଇ ପିଇ ରହିଲେ । ମୁଁ ଜାଣେ ଏବେ ମଧ୍ୟ ସିଏ ଅଛନ୍ତି । ତମେ ଯେବେ କେବେ ଥରେ ଯାଆନ୍ତ, ଗୀତ ଶୁଣି ଆସନ୍ତ !

Image